ମନ ସିନ୍ଦୁକରେ ସ୍ମ୍ରୁତି ଫରୁଆ - ଓଡିଆ ଗଳ୍ପ

ମନ ସିନ୍ଦୁକରେ ସ୍ମ୍ରୁତି ଫରୁଆ - ଓଡିଆ ଗଳ୍ପ

~ମନ ସିନ୍ଦୁକରେ ସ୍ମୃତି ଫରୁଆ ~

ଜୀବନଟା ସତେ ଆଜି ଆମ ପାଇଁ ପାଲଟି ଯାଇଛି  ଏକ ଜଟିଳ ଗଣିତ । ନିରାଶାର ମରୁବାଲିରେ ମୋର ଜଟିଳ ଗଣିତ ଯେତେ କଷିଲେବି ତାର ସଠିକ୍ ଉତ୍ତର ପାଇ ପାରୁ ନାହିଁ । ମନ ମଶାଣୀରେ ଅଧା ଜଳା ଗୋଟେ ସଳିତା ସାଜି ମୁଁ ପ୍ରତିଦିନ ପ୍ରତି ମୂହୁର୍ତ୍ତରେ କୁହୁଳୁଛି । ତୁମ ସାଥିରେ ଯୋଡି ହୋଇଯାଇଥିବା ମୋର ସମ୍ପର୍କର ସୂତାକୁ କେବେହେଲେ ଛିଣ୍ଣେଇ ପାରୁନାହିଁ ।

 ସମ୍ପର୍କରେ ଆମ ନିଦାଘ ପରି ଏ ଅସହ୍ୟ ଦହନ ବୈଶାଖ ଝାଞ୍ଜିଠାରୁ ଅଧିକ ଯନ୍ତ୍ରଣା ଦେଉଅଛି । ଜାଣିବି ହୁଏନି ଝରା ଫୁଲ ପରି ସ୍ବପ୍ନ ଝରିଯାଏ    । ଭାବି ଭାବି ଉଜାଗରରେ କେବେ କେବେ ରାତି ବି  ପାହିଯାଏ । ଛାତି ତଳେ ମୋର କେତେ ଯେ ଯନ୍ତ୍ରଣା ତୁମେ ଯଦି ବୁଝିଥାନ୍ତ  ସୌମ୍ୟା ! ! ! ଆଖି କଣ କେବେ ପାଲଟି ଥାଆନ୍ତା  ଶ୍ରାବଣର ଭରା ନଈ ? ଆଜିକାଲି ଆମ ମଝିର ଦୂରତ୍ୱ ଆଖି ପାଏ ନାହିଁ । ନିଷ୍ଠୁର ସମୟ ଆମ ପାଇଁ ଟାଣିଦେଲା ଲଷ୍ମଣରେଖାର ଅଦୃଶ୍ୟ ସୀମାଟିଏ । ସୌମେନ୍ଦ୍ର ଭାବି ହେଉଥାଏ । 

ସ୍ମୃତି ଏକ ଜୁଆରିଆ ନଈ, କେବେ ସେ ଶୁଖିଲା ତ କେବେ  ସେ ନଈରେ ପାଣି । ଆମର ସ୍ବପ୍ନ, ସ୍ବପ୍ନରେ ରହିଗଲା ସୌମ୍ୟା । ସତରେ କ'ଣ ସ୍ବପ୍ନ କେବେବି  ସତ ହୁଏ ନାହିଁ ? ଆମର ସ୍ମୃତି ଏକ ଅଲିଭା ଦାଗ, ଯେଉଁ ଦାଗର ଛିଟା କେବେବି ଲିଭେନି ! ସ୍ମୃତି ଏକ ଅଭୁଲା କାହାଣୀ, ଯାହାକୁ କି କେବେ ଭୁଲି ହୁଏନି । ସ୍ମୃତି ଏକ ଜୀବନ୍ତ ପ୍ରେମ, ଯେଉଁ ପ୍ରେମରେ ଥାଏ ମନର ପବିତ୍ର ଭାବନା । ସ୍ମୃତି ଏକ ଜ୍ୱଳନ୍ତ ନିଆଁ, ଯେଉଁ ନିଆଁରେ ଖାଲି ଜଳିପୋଡି ଯାଏ ଦେହ ମନ। କେବେ କେବେ କିଛି ସ୍ମୃତି,ସ୍ମୃତି ହୋଇ ରହିଯାଏ । ପୁଣି ସେଇ ସ୍ମୃତି କେବେ ଦେଇଯାଏ ଖାଲି ଦୁଃଖ ଆଉ ଦୁଃଖ । ସେହି ସ୍ମୃତିକୁ ମନର ସୁନା ଫରୁଆରେ  ସାଇତି ରଖିଛି ସୌମ୍ୟା ! ! ! ମୁଁ ଜିଇଁ ଥିବା ଯାଏ ଏ ଛାତି ତଳେ ବର୍ଷ ମାସ ଦିନ ରାତି ଯୁଗ ପରି ରହିଥିବ । 

କେବେ କେବେ ଯଦି  ସେଇ ସ୍ମୃତି ମନେପଡେ  ଝରିଆସେ ଆଖିରୁ ଲୁହ  ଅଜାଣତରେ  । ଇଚ୍ଛା ହୁଏ, ରଖିବାକୁ ସେଇ ଲୁହକୁ ସାଇତି ସେ ଯେ ମୋ ଅଭୁଲା ସ୍ମୃତି । ସ୍ମୃତି ଏକ କାଚର ଆଇନା ଯେଉଁ ଆଇନା ରେ ଦିନେ ଦେଖୁଥିଲି ମୋର ସେହି ମନର ମାନସୀ ସୌମ୍ୟାକୁ । ଏକା ମୁଁ ଆଜି ବି ସାଇତି ରଖିଛି ତାକୁ । ସେ ମୋର ଅଭୁଲା ଅତୀତ । ସ୍ମୃତି ଏକ ପାଉଁଶ ତଳର ନିଆଁ । ଯେଉଁ  ନିଆଁରେ କି କୁହୁଳି କୁହୁଳି ଜଳି କୋହର ରୂପ ନେଇ ଆଖିରୁ ଖାଲି ଝରି ଯାଏ ଲୁହ ହୋଇ ।   ଆଉ ମନେ ପକେଇ ଦିଏ ଭୁଲିଥିବା ସେଇ ଅତୀତର ଅଭୁଲା ସ୍ମୃତିକୁ  ।

          ଏହା ଭିତରେ ଅନେକ ବର୍ଷ ବିତି ଯାଇଛି । ଚାକିରୀର ପ୍ରଥମ ପୋଷ୍ଟିଂ କୋରାପୁଟରେ ସୌମେନ୍ଦ୍ରଙ୍କର । ଆଜି ପୁଣି ଦୀର୍ଘ ବର୍ଷ ପରେ ସହକାରୀ ଶିକ୍ଷକତାରୁ ବ୍ଲକ୍ ଶିକ୍ଷାଧିକାରୀ (ABO) ଭାବରେ ପ୍ରମୋଶନ ପାଇ ପୁଣି କୋରାପୁଟ ଆସିବାର ସୁଯୋଗ ପାଇଲି । ଜୟପୁରରୁ କୋରାପୁଟ ପୂର୍ବପରି ଏବେ ମଧ୍ୟ ଯିବା ଆସିବା  । ଜୟପୁର ଠାରୁ କୋରାପୁଟ ସବୁଜିମା ଘଞ୍ଚ ଅରଣ୍ୟ ଘେରା ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ମନ ଓ ହୃଦୟକୁ ବିମୋହିତ କରିଦିଏ । ବୟସ ଅତିକ୍ରମ କରି ଯାଇଛି ମନ କିନ୍ତୁ କେଉଁ କୋଣରେ ହେଉ ନା କାହିଁକି ଚଳ ଚଞ୍ଚକ ଅଛି । 

ଶିକ୍ଷକତା କରୁଥିଲା ବେଳେ ଜୟପୁର ରୁ କୋରାପୁଟ ଯିବା ଆସିବା କରୁଥିଲେ ସୌମେନ୍ଦ୍ର ଏବଂ ପ୍ରମୋଶନ ପାଇବା ପରେ ମଧ୍ୟ ପୂର୍ବପରି । କାରଣ ଏହି ଘାଟି ମାଟି ଘେରା ପାହାଡ଼ ପର୍ବତରେ ରହି ଯାଇଛି ଅଭୁଲା ସ୍ମୃତି । ସ୍ମୃତିକୁ ଝୁରି ଝୁରି ଏହା ଭିତରେ ଅତିକ୍ରମ କରି ଯାଇଛି - ବୟସ  ସମୟ ପାରିପାର୍ଶ୍ୱିକ ପରିବେଶ ପରିସ୍ଥିତି । ଏବେ ମଧ୍ୟ ସେଗୁଡ଼ିକ ମନେ ପଡିଲେ ମନ ହୃଦୟ ପ୍ରାଣକୁ ଉଜ୍ଜୀବିତ ଉଲ୍ଲସିତ କରେ । ମାନସପଟରେ ଉଙ୍କି ମାରେ ସେ ସମୟକୁ ଫେରି ଯାଆନ୍ତି କି..... ମନେ ପଡୁଅଛି...... ସୌମେନ୍ଦ୍ର ଙ୍କର..... 
 
ଜୟପୁର ବସ୍ ଷ୍ଟାଣ୍ଡରୁ ସେଦିନ ଶୁଭମ୍ ବସରେ ମୋତେ ସବୁ ଦିନ ପରି କୋରାପୁଟ ଯିବାକୁ ଥାଏ । ବସ୍ ଟି ସାଢେ ଆଠଟାରେ ବସ୍ ଷ୍ଟାଣ୍ଡ ଛାଡି  ଟାଉନ୍ ପାସ୍ କରୁ କରୁ ପ୍ରାୟ ଅଧ ଘଣ୍ଟାଏ ପାଖା ପାଖି ଲାଗି ଯାଏ  । କୋରାପୁଟରେ ସାଢେ ନଅଟା ପହଞ୍ଚି ଯାଏ ଶୁଭମ୍ ବସ୍ । ମୁଁ ପ୍ରାୟ ସ୍କୁଲ ପାଖରେ ଓହ୍ଲାଇ ଯାଏ ଯଦି କୌଣସି ଦିନ କାମ ଥାଏ ତାହାହେଲେ ବଜାର ପର୍ଯ୍ୟନ୍ତ ଯାଏ । ନୂଆ ନୂଆ ଚାକିରି, ନୂଆ ଯାଗା । ଏଠାକାର ଅଦବ କାଇଦା ଭଲ ଭାବରେ ଜଣା ନ ଥାଏ । କିଏ କାଳେ କ'ଣ କହି ଦେବ' କି ସେଥିପାଇଁ ମନରେ ସଦା ଭୟ ଥାଏ । ସେଦିନ ଗଣେଶ ପୂଜା ଥାଏ । ପ୍ରତିଦିନ ପରି ଆଉ ଆଜି ଗଲେ ତ ହେବ ନାହିଁ । 

ସେଥିପାଇଁ ସାତଟା ବେଳକୁ ବସ୍ ଷ୍ଟାଣ୍ଡ ପଳାଇ ଆସିଲି । ବସ୍ ଷ୍ଟାଣ୍ଡରୁ ବସ୍ ଛାଡ଼ିଲା  । ବସ୍ ରେ ଭାରି ଭିଡ । ମୁଁ ବସ୍ ଷ୍ଟାଣ୍ଡରୁ ଚଢି ଥିବା ହେତୁ ମୋତେ ଡୋର୍ ପାଖରେ ସିଟ୍ ଟିଏ ମିଳିଥାଏ । ଦି ଟିକିଆ ସିଟ୍ । ମୋ ପାଖରେ କଲେଜ ପିଲାଟିଏ ବସି ଥାଏ । ଠିକ୍ ବାରୁଣୀ ଛକରୁ ଜଣେ ତରୁଣୀ ଚଢିଲେ । ବସ୍ ରେ ସିଟ୍ ନାହିଁ । ଚାରିଆଡ଼େ ଅବଲୋକନ କଲେ । କ'ଣ ମନ ପାଇଲା କେଜାଣି ଆମ ସିଟ୍ ପାଖରେ ଆସି ଠିଆ ହେଲା । ଅପରୂପ ସୌନ୍ଦର୍ଯ୍ୟ । ଗୌର ଲାବଣ୍ୟ ଭରା ସୁନ୍ଦର ଚେହେରା, ଭଗବାନଙ୍କ ସୃଷ୍ଟି ଅନନ୍ୟ । ଗୋଟିଏ ଚାଉଳରେ ଗଢ଼ା । ଗୌର ବର୍ଣ୍ଣ ତା ସାଙ୍ଗକୁ ଫୁଲ ବେକ ବ୍ଲାଉଜ ସହିତ ନାଲି ଶାଢୀଟି ଶରୀରକୁ ବେସ୍ ଆକର୍ଷଣୀୟ ଏବଂ ମନ୍ତ୍ରମୁଗ୍ଧ କରୁଥାଏ ।

କଲେଜ ଛାତ୍ରଟି ସିଟ୍ ଛାଡି ସୁନ୍ଦରୀ ତରୁଣୀଙ୍କୁ ବସିବାକୁ ଅନୁରୋଧ କଲା । ସଙ୍ଗେ ସଙ୍ଗେ ସୌମେନ୍ଦ୍ରଙ୍କ ପାଖରେ ବସି ପଡିଲେ । ବାସ୍ନାୟିତ ଶରୀର ସୌମେନ୍ଦ୍ରଙ୍କ ମନ ହୃଦୟକୁ ହୃତ୍ ସ୍ପନ୍ଦିତ କଲା । ବସ୍ ଘାଟିରେ ଚାଲିଥାଏ । ବୁଲାଣି ଗୁଡିକରେ ସୌମେନ୍ଦ୍ର ତାଙ୍କ ଉପରକୁ ଉହୁଙ୍କି ପଡି ପୁଣି ନିଜକୁ ସଞ୍ଜତ କରି ସ୍ଥିତପ୍ରଜ୍ଞ ହୁଏ । ତରୁଣୀ କିନ୍ତୁ ଧିରସ୍ଥିର ଅବିଚଳିତ । କେତେ ସମୟ ପରେ ବସିଥିବା ସୌମେନ୍ଦ୍ର ପ୍ରଶ୍ନ କଲେ - ମ୍ୟାଡାମ୍ କେଉଁଠିକି ଯିବେ ? ସେ ସ୍ମିତହାସ୍ୟ ବଦନରେ ପ୍ରକାଶ କଲେ । ଦେଓଘାଟି ସ୍କୁଲକୁ ଯିବି । ସେ ପଚାରିଲେ - ଆପଣ  ? ସୌମେନ୍ଦ୍ର କହିଲେ - କୋରାପୁଟ ହାଇସ୍କୁଲ ।  

ସୌମେନ୍ଦ୍ରଙ୍କ ହୃଦୟରେ ପ୍ରେମ ଭାବ ଜାଗ୍ରତ ହୋଇଥାଏ । ପ୍ରେମ ଏକ ନିରୁତା ସଂପର୍କ । ପ୍ରେମର ଫାଶରେ କିଏ କେବେ କେଉଁଠି ଏବଂ କେତେବେଳେ ଛନ୍ଦି ହୋଇଯିବ ତାହା କହିବା ଅସମ୍ଭବ। ଏହାତ ଏକ ଅବ୍ୟକ୍ତ ଅନୁଭବ ବହୁତ କିଛି ଅସରନ୍ତି ଅନାବନା ସିହରଣ ନେଶି ହୋଇଯାଏ ପ୍ରେମ ଗଳ୍ପର ଚରିତ୍ର ମାନଙ୍କ ମଧ୍ୟରେ । ଏହି ମୁହୂର୍ତ୍ତର ଅନୁଭୂତି କେବଳ ସେଇ ପ୍ରେମ ପକ୍ଷୀ ହିଁ ଅନୁଭବି ପାରେ ଯିଏ ପ୍ରେମର ଖୋଲା ଆକାଶରେ ନିଜ ସାଥୀ ବିହଙ୍ଗ ସହ ଉଡୁଥାଏ ନିଡରରେ ବିଲକୁଲ ପ୍ରେମବତ୍ ମନ ନେଇ । ଯେମିତି ସମୟକୁ ବାଏ ବାଏ କହି ମନଖୋଲି ପ୍ରେମର ମାଇଲ୍ ମାଇଲ୍ ବାଟ ଚାଲିବାକୁ ହୃଦୟରେ ଦୃଢ ପ୍ରତିଜ୍ଞ ଥିଲେ ସୌମେନ୍ଦ୍ର ।

ବସ୍ ଟି ହନୁମାନ ମନ୍ଦିର ପାର କରି ଦେଓଘାଟି ସ୍କୁଲ ଗେଟ୍ ପାଖରେ ଅଟକି ଗଲା । ତରୁଣୀ ଓହ୍ଲାଇବା ପୂର୍ବରୁ କହିଗଲେ ମୋ ନାଁ ସୌମ୍ୟା । ମୁଁ ଏହି ସ୍କୁଲରେ ନୂତନ ଭାବରେ ସହକାରୀ ଶିକ୍ଷୟିତ୍ରୀରେ ଯୋଗଦାନ କରିଅଛି । ସାର୍ ପରେ ଦେଖା ହେବ କହି ଓହ୍ଲାଇ ଗଲେ । ସୌମେନ୍ଦ୍ର ତାଙ୍କର ଯିବା ବାଟକୁ ଚାହିଁ ରହିଥାଏ । ବସ୍ ର ଡାହାଣ ପାଖରେ ସ୍କୁଲଟି । ଅନ୍ଯ କିଛି ଯାତ୍ରୀଙ୍କୁ ଓହ୍ଲାଉ ଥିବା ହେତୁ ବସ୍ ଟି ଛାଡି ନ ଥାଏ । ରାସ୍ତା ଉପରକୁ ସ୍କୁଲଟି । ସେ ଯେତେବେଳେ ଗଜଗମନୀ ରେ ବିଦ୍ୟାଳୟକୁ ଯାଉଥାଏ ସେତେବେଳେ ମୋ ମନ ପ୍ରେମତରଙ୍ଗ ତରଙ୍ଗାୟିତ ହେଉଥାଏ । 

ଏମିତି  ସୌମେନ୍ଦ୍ର ଆଉ ସୌମ୍ୟା ଦୁଇ ଜଣ ଯାକ ଅପରିଚିତରୁ ଧିରେ ଧିରେ ପରିଚିତ। ଦୂରତ୍ୱରୁ ନିକଟତର , ଭାବରୁ ଭାବାବେଗ । ଜଣେ ଜଣକ ପାଇଁ ସିଟ୍ ରଖିବା, ପ୍ରତୀକ୍ଷା କରିବା । ଜଣେ ଜଣକ ପାଇଁ ଟିଫିନ୍ ଆଣିଦେବା, ଦିଆ ନିଆ, ଦେଖା ଚାହାଁ । ପ୍ରିତୀର ପ୍ରଣୟ ବଢିବାରେ ଲାଗିଲା ।  ପରିଣତିର ମହୁ ଚଖେଇବାକୁ ତତ୍ପର ହେଲେ ସୌମେନ୍ଦ୍ର । ପ୍ରଚ୍ଛଦରେ ଶୁଭୁଥାଏ ଫୁଲେଇ ଫଗୁଣର ମିଠା ଗୁଞ୍ଜରଣ । ଏଥର ସୌମ୍ୟା ବାରୁଣୀ ଛକରୁ ନ ଚଢି  ସେ ଚାଲିଆସେ ସେଇ ପୁରୁଣା ବସଷ୍ଟାଣ୍ଡକୁ। ଯେଉଁଠି  ଅପେକ୍ଷାରେ ଥାନ୍ତି  ସହଯାତ୍ରୀ ସୌମେନ୍ଦ୍ର । ଦିନେ ଅପରିଚିତ ଅଜଣା ଅଦେଖା ଥିବା ସୌମେନ୍ଦ୍ର, ଆଜି  ତାର ନିଜଠୁ ନିଜର । ବସ୍ ର ଡେରି ହେଲେ ସେମାନେ  କାର୍ ଭଡା କରି ପଳାଇ ଯାଆନ୍ତି ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ। 

ସବୁଦିନ ଏମିତି ଚାଲିଥାଏ ପ୍ରତିକ୍ଷାର ପର୍ବ। ଦିନେ ସେଇ ଚିହ୍ନାମୁହଁଟିକୁ କେମିତି ସାଥି କରିନେବାର ସ୍ବପ୍ନ ଦେଖିଲା ସୌମେନ୍ଦ୍ର । ସୌମ୍ୟାର ବି ନୀରବ ସହମତି ଏଥିରେ। ଦେଓଘାଟିରେ ସାଙ୍ଗ ହୋଇ ଗଲା ବେଳେ ସମସ୍ତଙ୍କ ସାଙ୍ଗେ କଥା ହୁଏ ସୌମ୍ୟା । ଉଚ୍ଚ ଉଚ୍ଚ ପାହାଡ଼ର ଶିଖର ପ୍ରଦେଶ , ତାକୁ ଗେଲ କରୁଥାଏ ଭସା ବାଦଲ। ପାହାଡ଼ି ଝରଣା ସମସ୍ତଙ୍କ  ସୁଖ ଦୁଃଖ ବୁଝେ ଯେମିତି । ଆଉ ସୌମେନ୍ଦ୍ର  ମନରେ ଅସରନ୍ତି ଭାବନା। ମନରେ ଚାଲୁଥାଏ ଖାଲି ଜଙ୍ଗଲର କେଉଁ ଏକ ନିଭୃତ ଜାଗାରେ ଭିଡି ଧରନ୍ତେ ତାକୁ ତାଙ୍କ ଛାତି ଉପରେ। ବାନ୍ଧି ହୋଇ ଯାଆନ୍ତେ ସେମାନେ ଆଲିଙ୍ଗନ ମୁଦ୍ରାରେ ସାରା ଜୀବନ ପାଇଁ।  ସୃଷ୍ଟିର ଅନ୍ତିମକ୍ଷଣ ଯାଏ। ସୌମେନ୍ଦ୍ରଙ୍କ  ହାତମୁଠାରେ ସୌମ୍ୟାର ହାତ ମୁଠା ଝାଳେଇ ଯାଉଥାଏ ବାର ବାର। ସୂର୍ଯ୍ୟଙ୍କ ରଶ୍ମିରେ ଯେମିତି ହିମଖଣ୍ଡ ତରଳି ଯାଏ , ଠିକ୍ ସେମିତି।

ବାହାରକୁ ବେସ୍ ସହଜ ଜଣା ପଡୁଥାଏ କିନ୍ତୁ ମନ ଭିତରେ ଚାଲିଥାଏ ଅନେକ କିଛି। ଜଣେ ବୁଣୁଥାଏ, ସୁନେଲି ସ୍ୱପ୍ନର ସ୍ବେଟର ତ ଆଉ ଜଣେ ଆଙ୍କୁଥାଏ ଜହ୍ନ ରାତିର ସ୍କେଚ। ପାହାଡି ବୁଲାଣି ରାସ୍ତାରେ ଲଦି ହୋଇ ଯାଏ ସୌମ୍ୟା ସୌମେନ୍ଦ୍ରଙ୍କ ଦେହରେ। କ୍ଷଣକ ପାଇଁ ହେଲେ ମଧ୍ୟ ସୌମେନ୍ଦ୍ର ଭିଜିଯାଏ ଅଜଣା ବର୍ଷା ଛିଟାରେ । ସୌମ୍ୟାର ସାନ୍ନିଧ୍ୟ ଟିକେ ପାଇଁ ତୃଷିତ ଏ ଆତ୍ମା। ତା ଭିତରେ ହଜିଯିବାକୁ ଖୋଜୁଥାଏ ବାହାନା। ସୌମ୍ୟାକୁ ଖୁବ୍ ଭଲ ଲାଗୁଥାଏ ଏସବୁ। ସେ ଦିଗ୍ ବଳୟରେ ଦେଖୁଥାଏ ଗୋଟିଏ ଫଟୋ ଫ୍ରେମ୍ ଭିତରେ ଦୁହିଙ୍କ ଯୁଗଳ ଛବି। କଥା ହୁଅନ୍ତିନି ସେମାନେ। ବାସ୍... ଆଖି କଥା ଆଖି ବୁଝିଯାଏ। ଜଣଙ୍କ ଭାବନା ଆଉ ଜଣେ ପଢିନିଏ। ରାସ୍ତା ଏମିତି ସରିଯାଏ ହନୁମାନ ମନ୍ଦିର ଠାରେ ତା ପରେ ଦଓଘାଟି ସ୍କୁଲ ।

ବେଳେ ବେଳେ ଶାବର ଶ୍ରୀକ୍ଷେତ୍ର ବୁଲିବାକୁ ଦୁହେଁ ଚାଲିଯାଆନ୍ତି । ସୌମ୍ୟା ଜଗନ୍ନାଥଙ୍କ ସହିତ ମା' ଙ୍କୁ ବହୁତ ବିଶ୍ୱାସ କରେ । ଏଠାରେ ସେ ପାଏ ଅନ୍ୟ ଏକ ଆନନ୍ଦ, ତାକୁ ଲାଗେ ଯେମିତି ମା ତାକୁ କୋଳରେ ଶୁଆଇ ଦେଇ ମଥା ଆଉଁସି ଦିଏ। ସେ ମା ଙ୍କୁ ଖୋଲି କହେ ସୌମେନ୍ଦ୍ର ଙ୍କ କଥା । ତାଙ୍କ ନାଁରେ ଦୀପ ଜାଳେ, ପାଣି ଢାଳେ। ସମର୍ପି ଦିଏ ସକଳ କର୍ମକୁ ତାଙ୍କ ପାଦରେ। ସୌମେନ୍ଦ୍ରଙ୍କୁ ନେଇ ଅନେକ ସ୍ବପ୍ନ ଦେଖେ ସୌମ୍ୟା । ବେଳେ ବେଳେ ବସ୍ ରେ ଆସିଲା ବେଳେ ଭାବେ ଆମେ ସାଥି ହୋଇ ଏକାଠି ମଟର ସାଇକେଲରେ ଆସିବୁ । ସେ ଗାଡି ଚଲାଉ ଥିବେ ମୁଁ ତାଙ୍କ କାନ୍ଧରେ ହାତ ରଖି ବସିଥିବି, ଘାଟିରେ ଗାଡିରୁ ଖସି ଯିବା ବାହାନାରେ ଶରୀରକୁ କୋଳାଗ୍ରତ କରନ୍ତି । ଦେଓ ଘାଟିରେ ସବୁଦିନ ପରି ବସ୍ ଅଟକି ଯାଏ ଆଉ ସୌମ୍ୟା ଓହ୍ଲାଇ ପଡେ। ଆଗକୁ ଯିବେ ଏକା ସୌମେନ୍ଦ୍ର । ସାଥିରେ ନେଇ ଯିବେ, ମୁଠାମୁଠା ସ୍ମୃତି। ସାଇତି ରଖନ୍ତି ମନ ସିନ୍ଧୁକରେ।

 ଏହି ଭଳି ପ୍ରତିଦିନ ନୂଆ ପୃଷ୍ଠାଟେ ଯୋଡ଼ା ହୁଏ ସେମାନଙ୍କ ସେଥିରେ। 
 ସୌମ୍ୟା ବସରୁ ଓହ୍ଲାଇ ଅପେକ୍ଷା କରେ ବସ୍ ଯିବା ଯାଏ । ଦେଖୁଥାଏ... ସୌମେନ୍ଦ୍ରଙ୍କ ପାଖରେ କିଏ ବସୁଛି। ଯଦି ସୁନ୍ଦରୀ କଲେଜ ପଢୁଆ ଝିଅଟେ ବସିଲା.... ସରିଲା କଥା। ଅଭିମାନରେ ଥମ୍ ଥମ୍ ହେଇ ଚାଲିଯାଏ। ସେମାନେ ପୁଣି ଏକାଠି ଫେରନ୍ତି,ସୌମେନ୍ଦ୍ର ସୌମ୍ୟା କୁ ସ୍କୁଲ ପାଖରେ ନ ପାଇଲେ ଓହ୍ଲାଇ ଅପେକ୍ଷା କରେ। ସୌମ୍ୟା ଆସିଲେ ମିଶିକରି ଆସନ୍ତି । ଅଭିମାନ ଗୁଡା ଜମା ହେଇଥାଏ ସୌମ୍ୟା ମନରେ। ସୌମ୍ୟା ନିକଟତର ହେଲେ ସେ ଘୁଞ୍ଚି ଠିଆ ହୁଏ। ଜମା ଦେଖେ ନାହିଁ ସୌମେନ୍ଦ୍ରଙ୍କ ଆଡେ। ମନରେ ରାଗ ଥାଏ ନାକ ପର୍ଯ୍ୟନ୍ତ । ସବୁ ପୁଅ ଗୁଡା ଏମିତି ବୋଧେ ? 

ଏମିତି କେତେ କ'ଣ ସବୁ ଭାବୁଥାଏ ସେ।  ସୌମେନ୍ଦ୍ର ଖୋଜୁଥାଏ, ଅଭିମାନର କାରଣ ? ବେଳେ ବେଳେ ପାଏ, ବେଳେ ବେଳେ ପାଏନାହିଁ । କିନ୍ତୁ ଆଖିରେ ଭୁଲ ମାଗିନିଏ, ଦୁଃଖିତ ବୋଲି କହୁଥାଏ ହଜାର ଥର। ଦୁଃଖିତ କହୁଥାଏ, ନିଶବ୍ଦରେ। ସୌମ୍ୟା ବେପରୁଆ ଭାବେ ଅନେଇଥାଏ ବାହାରକୁ। କଥା ହେଉଥାଏ ଅନ୍ୟ ଯାତ୍ରୀ ମାନଙ୍କ ସାଙ୍ଗରେ । ପହଞ୍ଚିବାକୁ ଅଳ୍ପ ସମୟ ଥାଏ, ସୌମ୍ୟାର ଉପଲବ୍ଧି ହୁଏ ଯେ ସୌମେନ୍ଦ୍ର ଅନୁତପ୍ତ । ତା ପରେ ଯାଇ ମାନଭଞ୍ଜନ ହୁଏ ସୌମ୍ୟାର । ସେତେ ବେଳ ଯାଏ ସୌମେନ୍ଦ୍ର କିନ୍ତୁ କରି ଚାଲିଥାଏ କ୍ଷମା ପ୍ରାର୍ଥନା।

ଘରକୁ ଫେରିବା ରାସ୍ତାରେ ପ୍ରଫୁଲ୍ଲିତ ଥାଏ ସୌମ୍ୟା ମନ । ବସ୍ ରୁ ଓହ୍ଲେଇଲା ବେଳେ ସୌମେନ୍ଦ୍ରଙ୍କୁ ଚାହିଁ , ଦିଏ ଦୁଷ୍ଟାମୀର ହସ ଟିଏ। ସୌମେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି । ଗାଡି ଗାଡିଯାଏ ଆଗକୁ ସୌମେନ୍ଦ୍ରଙ୍କୁ ନେଇ ବସଷ୍ଟାଣ୍ଡ ଅଭିମୁଖେ । ଏମିତି ଦିନ ବିତେ ସେମାନଙ୍କର । ଅସ୍ଵାକ୍ଷରିତ ପ୍ରତିଶୃତି, ଅମିମାଂସିତ ଅଭିମାନ ଆଉ ଅବଦମିତ ଆକର୍ଷଣ ଭିତରେ। କେହି କାହାଠାରୁ ଅଲଗା ରହିପାରନ୍ତିନି। ଜଣଙ୍କ ହୃଦୟରେ ଆଉ ଜଣେ ଥାଏ। ଦିନ, ମାସ ତାରିଖ ଏମିତି ବଦଳୁଥାଏ। କିନ୍ତୁ ବଦଳେନି ପ୍ରୀତିର ରଙ୍ଗ। ଏମିତି କଣ ସତରେ ହୁଏ ? ନା ହୁଏନି, ଏସବୁ କାହାଣୀ ସିନେମା, ଗପ ଉପନ୍ୟାସ ରେ ସୁନ୍ଦର ଲାଗେ। ଜୀବନର ବାସ୍ତବତା ରଙ୍ଗ କିନ୍ତୁ ସତରେ କିଛି ଅଲଗା। ବେଳେ ବେଳେ ଜୀବନର ବାସ୍ତବତା ଏବଂ ପ୍ରତିଶ୍ରୁତି କାହାକୁ ସାଥି ଦିଏ  । ଆଉ କାହାକୁ ସାଥି ଦିଏ ନାହିଁ ।

 କିଛି କଠୋର ସତ୍ୟ, କିଛି ନିଷ୍ଠୁର ପ୍ରାରବ୍ଧରେ ଛନ୍ଦି ହୁଏ କଳ୍ପନାର "ପ୍ରେମ" ପକ୍ଷୀ। କଳ୍ପନା ଆଉ ବାସ୍ତବ ଭିତରେ ଅନେକ ତଫାତ୍। କଳ୍ପନାର ଚରିତ୍ର ବାସ୍ତବ ଚିତ୍ର ଦେଇ ଗଲା ବେଳେ, ସମୟ ନିହାଣରେ ବଦଳି ଯାଏ ତା ରୂପରେଖ। ଭିନ୍ନ ହୁଏ ପାରିପାର୍ଶ୍ବିକ ପରିସ୍ଥିତି।  ସେମିତି ଚରିତ୍ର ଦୁଇଜଣ ସୌମେନ୍ଦ୍ର ଆଉ ସୌମ୍ୟା । ଗ୍ରୀଷ୍ମ ଅବକାଶରେ ଚାଲିଯାଏ ସୌମେନ୍ଦ୍ର ନିଜ ଗାଁ କୁ । ଅବକାଶ ପରେ ଆସି ସୌମ୍ୟାକୁ ଦେଖେ'ତ ହାତରେ ଶଙ୍ଖା ଏବଂ ମଥାରେ ଟିକିଲିରୁ ସିନ୍ଦୂର । ବୁଝିବାକୁ ଆଉ ସମୟ ଲାଗିଲା ନାହିଁ । ସୌମେନ୍ଦ୍ର ସେଦିନ ପଚାରିଲା କିନ୍ତୁ ସୌମ୍ୟା ନିଜକୁ ଅନୁତପ୍ତା ଏବଂ "କିଂ କର୍ତ୍ତବ୍ୟବିମୂଢ" ବୋଲି କହି ଦୂରେଇ ଗଲା । ଏହାପରେ ସୌମେନ୍ଦ୍ର ଭାଙ୍ଗି ପଡିଲା । ନିଜକୁ ସଦାସର୍ବଦା ଏକୁଟିଆ ଅନୁଭବ କଲା । ଏଠାରେ ବେଶୀ ଦିନ ରହିବା ଭଲ ନୁହେଁ ଭାବି ଜିଲ୍ଲା ବଦଳି ହୋଇ ନିଜ ଜିଲ୍ଲାକୁ ଚାଲିଗଲା । ଏହା ଭିତରେ କେତେ ବର୍ଷ ବିତିଯାଇଛି  ।

ସବୁଦିନ ପରି ଆଜି ପିଲା ଓ ସ୍ୱାମୀଙ୍କ କଥା ବୁଝି ସୌମ୍ୟା ବାହାରେ ସ୍କୁଲକୁ । ବସ୍ ରେ ସମୟ ପାଇଲେ ଫେସବୁକ ହ୍ବାଟସପ୍ ଦେଖେ । ଫେସବୁକରେ ଗପ ଟିଏ ପଢି ତାକୁ ଛୁଇଁଗଲା ଆଉ ସେ ତା ତଳକୁ ନିଜର ମତାମତ ଲେଖି ପଠେଇଲା। ଗାଳ୍ପିକ ଜଣକ ନିଜ ମତ ରଖିଲେ ଏବଂ ଫ୍ରେଣ୍ଡ ରିକୁଏସ୍ଟ ପଠାଇଲେ ।  ଏମିତି ଆରମ୍ଭ ହୁଏ ବନ୍ଧୁତା,  ଗାଳ୍ପିକ ଜଣକ ଯେ ସୌମେନ୍ଦ୍ର ଏହିରେ ଦ୍ବିମତ ନାହିଁ।  ଗାଳ୍ପିକଙ୍କ ସହିତ ବନ୍ଧୁତା ହେଲା ମେସେଞରରେ ଚାଟିଂ ହେଲା ।

 ସୌମେନ୍ଦ୍ର ଏବେ ବ୍ଲକ୍ ଅଧିକାରୀ (ABO) ଭାବରେ ଆସିଛନ୍ତି । ସୌମେନ୍ଦ୍ରଙ୍କ ସହିତ ଦେଖା ହୋଇନାହିଁ କେବେ କେବେ ଖାଲି ଯାହା ଚାଟିଂରେ । ତାଙ୍କ ମନର ମାନସୀ ସୌମ୍ୟା ,ଯାହାକୁ ସେ କଳ୍ପନାରେ ଆଙ୍କୁ ଥିଲେ । ମାନସୀ ରୁ ପ୍ରେୟସୀ ହେଇଯାଇଛି ସୌମ୍ୟା ।  ସର୍ତ୍ତହୀନ ଭଲପାଇବା ଆଗେ ହାରି ଯାଇଛି ସୌମ୍ୟା । ଏମିତି ଏକ ସମ୍ପର୍କରେ ସେମାନେ ଯାହା, ଥାଇ ବି ନାହିଁ। ଆଉ ନାହିଁ ବି ଅଛି, ଦୁହିଙ୍କ ମନରେ। ଏଇ ପ୍ରେମର ସାକ୍ଷୀ କେହି ନାହିଁ। ଦୁଇଟି ମନ ଛଡ଼ା। କେହି ଜାଣନ୍ତିନି ଏକଥା। ପ୍ରେମ ଦିଏ ସ୍ଥିରତା ଓ ସମୟ ଗଡିଚାଲେ ଆଗକୁ।

ସୌମ୍ୟାର କଥା ଅନୁସାରେ ସେ ଅପେକ୍ଷା କରି ରହିଲେ  ବସ୍ ଷ୍ଟାଣ୍ଡ ରେ।ସେଦିନ ପାଗଟା ଥିଲା ବେସ୍ ରୋମାଣ୍ଟିକ। ନୀଳ ଶାଢୀ ଉଡେଇ ଆସୁଥିଲେ ସୌମ୍ୟା । ତା ନୀଳ ଶାଢ଼ୀର କାନିରେ ଲହଡି ଭାଙ୍ଗୁଥିଲା ସାଗରର ଉର୍ମି। ଏମିତି ଲାଗୁଥିଲା ସେ ସୌମେନ୍ଦ୍ରଙ୍କ ପାଇଁ ସଜେଇ ହୋଇଛି। ଆସି ଠିଆହେଲା ବସ ଷ୍ଟାଣ୍ଡ ରେ ସୌମେନ୍ଦ୍ର ଙ୍କ ପାଖରେ। ଯାହାକୁ ନିଜ ମୋବାଇଲର ପରଦାରେ ଦେଖୁଥିଲେ ସେ ଆଜି ଠିଆ ହୋଇଛି ସ୍ୱଦେହରେ ତାଙ୍କ ପାଖରେ। ସୌମେନ୍ଦ୍ର ଯେ ବିସ୍ମିତ ଏକଥା ସୌମ୍ୟା ଆଖିରୁ ବାଦ ପଡ଼ିଲାନି। ସୌମ୍ୟା ହସି ଉଠିଲା, କହିଲା କଣ ଏମିତି ଦେଖୁଛ। ମୁଁ ସେଇ ସୌମ୍ୟା ଯାହାକୁ ତୁମେ ସଜେଇ ରଖିଛ ତମ ମନ ଭିତରେ , ଚିତ୍ରଲେଖା ପରି । ଆଜି ଦେଖିନିଅ ବାସ୍ତବ ଆଉ କଳ୍ପନା ଭିତରର ଅନ୍ତର। ଖରାଟା ଟାଣ ହେଇ ଆସୁଥିଲା ସେତେବେଳେ। ସୌମେନ୍ଦ୍ର କହିଲେ, ମୁଁ ସବୁ ଜାଣି ବି ତମକୁ ମନରେ ଜାଗା ଦେଇଛି। ତୁମେ ଠିକ୍ ସେମିତି ଯେମିତି ମୋ କଳ୍ପନା। ସେମିତି ସୁନ୍ଦର ଆଉ ସତେଜ। ଲାଜରେ ମଥା ନଇଁଗଲା ସୌମ୍ୟାର । ସେ ଚାହୁଁ ନଥିଲା ,କଥା ବଢ଼େଇବାକୁ । ବସ୍ ଆସିଗଲା, ଆଉ ଚଢ଼ିଗଲା ସୌମ୍ୟା  ପଛକୁ ନ ଅନେଇ । ଠିକ ତା ପଛେ ଠିଆ ହୋଇଛନ୍ତି ସେ । ଆଶ୍ଚର୍ୟ୍ଯ ହେଲା ସୌମ୍ୟା । ବୟସର ଏଇ ମୋଡ଼ରେ ଏମିତି ପିଲାଳିଆମୀ କେମିତି କରି ବସନ୍ତି ସେ  । ଭାବୁଛି ତାଙ୍କ କଥା, ଜୀବନକୁ  ବେପରୁଆ ଭାବେ ଜିଉଁ ଥିବା ମଣିଷଟେ ସେ। ସମୟକୁ ସିମିଳି ତୁଳା ପରି ଉଡେଇ ଦିଅନ୍ତି ଦୂର ଆକାଶରେ। ଆଉ ତା ଭିତରୁ କେତେ ମୁହୂର୍ତ୍ତ ମାନଙ୍କୁ ବାନ୍ଧି ରଖନ୍ତି କାଗଜରେ। ମନଖୋଲା ହସ ବ୍ୟତୀତ ଆଉ କିଛି ସମ୍ବଳ ବୋଧେ ତାଙ୍କ ପାଖେ ନାହିଁ। ଲେଖକ ମାନେ ପାଗଳ,ଏକଥା ଜାଣିଥିଲା ସୌମ୍ୟା  । ଏବେ ଦେଖୁଛି। 

 ପରିବାରରେ ଝଡ଼ଟେ  ଆସୁ ଚାହେଁନି ସୌମ୍ୟା । ତା ପ୍ରତିଷ୍ଠାରେ ଆଞ୍ଚ ନ ଆସୁ ସେଥିପାଇଁ ପାଇଁ ବେଶ୍ ଯତ୍ନଶୀଳା । ଏଥିପାଇଁ, ଅନେକ ଥର କହିଛି ସେ ସୌମେନ୍ଦ୍ରକୁ   । ନୀରବତା ଭାଙ୍ଗି, ସୌମେନ୍ଦ୍ର କହିଲେ - କଥା ଅଧା ରହିଯାଇଥିଲା ତ ଚାଲି ଆସିଲି। ସୌମ୍ୟା ତଥାପି ଚୁପ୍। ସେ ପାହାଡ଼ର ଅଙ୍କାବଙ୍କା ରାସ୍ତା, ଆଉ ସେ ସରଳ ଜୀବନ ଏସବୁରେ ବୁଡି ରହି ଥାଏ ସୌମ୍ୟା ଶାନ୍ତିର ଅନ୍ୱେଷଣରେ। ବୁଝୁଥାଏ ଜୀବନର ମାନେ, ଦେଖୁଥାଏ ସମ୍ପର୍କର ରଙ୍ଗ କିନ୍ତୁ ସୌମେନ୍ଦ୍ର ଭିଜୁଥାନ୍ତି, ସୌମ୍ୟା କେଶର ଶାମ୍ପୂ ବାସ୍ନାରେ। ବିଭୋର ହେଉଥାନ୍ତି ତା ଦେହର ବାସ୍ନାରେ। ସେ ବାସ୍ନାକୁ ଆକଣ୍ଠ ପାନ କରି ସବୁଦିନ ପାଇଁ   ସାଇତି ରଖନ୍ତି ଛାତି ତଳେ। ସୌମ୍ୟା ଗାଲରୁ ବିନ୍ଦୁ ବିନ୍ଦୁ ଝାଳ ସବୁ ଚାଖିବାକୁ ମନ ହୁଏ ତାଙ୍କର। ସେ ଜାଣେ ସୌମ୍ୟା ବିବାହିତା, ସ୍ୱାମୀ ପିଲା ମାନଙ୍କ ଭିତରେ ସୁଖୀ ସଂସାରଟିଏ। ଏତେ ପୂର୍ଣ୍ଣତା ଭିତରେ ଥାଇ ବି କେମିତି କେଜାଣି ଢଳିଗଲା ତା ମନ ସୌମେନ୍ଦ୍ରଙ୍କ ପ୍ରତି । ଏମିତି କଣ ହେଇ ପାରେ ?  ସେ ନିଜକୁ ଭସେଇ ଦେଇଛନ୍ତି ସମୟ ସୁଅରେ। ସମୟର ଚିତ୍ରୋତ୍ପଳାରେ ଭାସି ଲାଖିଯାଇଛନ୍ତି  ସୌମ୍ୟା ତୁଠରେ। ସୌମେନ୍ଦ୍ର ଙ୍କ ନିଶ୍ୱାସ ଅନୁଭବ କରିପାରୁଛି ସୌମ୍ୟା । ଜାଣିପାରୁଛି କଣ ସବୁ ଚାଲିଛି ତାଙ୍କ ମନରେ। ଭିଡି ନିଅନ୍ତେ ସେ ତାକୁ ତାଙ୍କ ଛାତିରେ। ଜଡେଇ ଧରନ୍ତେ ତାକୁ। ଆଖି ମୁଜି ଭୁଲି ଯାଆନ୍ତା ସ୍ୱାମୀ, ସଂସାର ,ପିଲାମାନଙ୍କ କଥା। ମନଟା ଶୂନ୍ୟରେ ଭସେଇ ଦିଅନ୍ତା ସୌମେନ୍ଦ୍ର ଙ୍କ ପରି।

ମନ ପ୍ରଜାପତି ବୋଲ ମାନେନା ଜମା। ସୌମ୍ୟା ତାଙ୍କ ସବୁ ଭାବନାକୁ ସ୍ଥାନ ଦିଏ, ନିଜ ଭିତରେ। ସୌମ୍ୟା ପାଇଁ ସୌମେନ୍ଦ୍ର , ତା ଭାବନାର କେନ୍ଦ୍ରବିନ୍ଦୁ। ସବୁ ପ୍ରଶ୍ନର ଶେଷରେ ସେ । ଆଉ ସବୁ ଉତ୍ତରର ଆରମ୍ଭରେ ସେ। ସ୍ୱାମୀ,ସଂସାର ଭିତରେ ଥାଇ ମଧ୍ୟ ସେ ସୌମେନ୍ଦ୍ରଙ୍କୁ ଭଲପାଏ ଏକ ସମର୍ପିତ ପ୍ରେମିକା ପରି। ଏକଥା ଜାଣେ, ଯେ ଦୁନିଆ ଆଖିରେ ସେ କଣ। ହେଲେ ସେ କର୍ମରୁ ସମର୍ପିତ ମାଙ୍କ ପାଖେ। ସେ କହେ ସେ ଯାହା କରେ ସେ ସବୁ ସେ କରାନ୍ତି। ଏଇଟା ବୋଧେ ଅସଙ୍ଗତ ଲାଗିପାରେ। ତଥାପି ସେ ଚାଲିଛି ଗୋଟେ ସ୍ରୋତରେ। ହାତ ଟେକି ଦେଇଛି । ନିଜ ପ୍ରେମକୁ କେବେ ଦେଖେଇ ପାରେନି ସେ, କିନ୍ତୁ ସୌମେନ୍ଦ୍ରଙ୍କୁ ଯେତେ ଲୁଚେଇଲେବି ଦେଖାଯାଏ ତାଙ୍କ ଭଲପାଇବା । ଦୁଇଜଣ ଏବେ ବାହାରିଲେ, କାହାଣୀର ଶେଷ ଆଡକୁ। 

ବସ୍ ଆସି ସାରିଥିଲା, ଏବେ ଫେରିବାର ବେଳ, ଦୁହେଁ ଠିଆ ହୋଇଥାନ୍ତି ପାଖାପାଖି। ଯେ ଯାହା ଭାବନାରେ ବୁଡି। କିନ୍ତୁ ଦୁହିଙ୍କ ମନରେ ଗ୍ଲାନି। ଏମିତି ଆଉ କଣ ହେବ, ପୁଣି କେବେ ଦେଖା ହେବ। ସେଇ ମନ୍ଦିର ,ସେ ଛକ,ସବୁ କିଛି ପଚାରୁଥାନ୍ତି ଯେମିତି, ପୁଣି କେବେ ଫେରିବ ତୁମେ। ଆଉ ଦୁହେଁ ନିରୁତ୍ତର। 

। ସମୟ ବୋଧେ ଶୁଣିନେଲା ଦୁହିଁଙ୍କ କଥା। ଆଉ କିଛି ସମୟ ମିଳିଗଲା, ସାଥି ହୋଇ ରହିବାକୁ। ଏକ ଦୀର୍ଘଶ୍ଵାସରେ ନୀରବତା ଭାଙ୍ଗିଲା ସୌମ୍ୟା । ଦେଖିଲା, ବସ୍ ଉପରେ ଥିବା ରେଲିଂ ରେ ତା ହାତ ଉପରେ ସୌମେନ୍ଦ୍ରଙ୍କ ହାତ। ହାତ କାଢି ନେଲାନି ସେ। ଚାହିଁ ହସିଦେଲା। ସୌମେନ୍ଦ୍ର ଟିକେ ଜୋରରେ ଚାପିଧରିଲେ। ପହିଲି ଛୁଆଁକୁ ଦି ଜଣ ଅନୁଭବ କରୁଥିଲେ, ଭିଜୁଥିଲେ ବର୍ଷାରେ। ଦୁଇ ଜଣଙ୍କ ଦେହରେ ସମାନ ଶୀହରଣ, ସମାନ ଉତ୍ତାପ। ଜଣେ ତୃଷିତ, ଆଊ ଜଣେ ତୃଷ୍ଣା। ଆଖି ମିଶୁ ନଥିଲା, କିନ୍ତୁ ହୃଦୟ କେବେଠୁ ଏକ ହୋଇ ସାରିଛି। ସନ୍ଧ୍ୟା ହେଇ ଆସୁଥିଲା, ସୌମ୍ୟା ଆଉ ସୌମେନ୍ଦ୍ର ପହଞ୍ଚିଲେ ବସ୍ ର ଶେଷ ପାହାଚରେ। ଏଇଠୁ ଦୁହେଁ ଫେରିଯିବେ ନିଜ ନିଜ ଦୁନିଆକୁ। ଯେଉଁଠି କର୍ତ୍ତବ୍ୟର ପ୍ରଶ୍ନପତ୍ର ଅପେକ୍ଷା କରି ରହିଥିବ ସେମାନଙ୍କୁ।  ଆଖିରେ ବିଦାୟ ନେଲା ସୌମ୍ୟା । ଆଉ ଲୁହ ଜକେଇ ଆସୁଥିଲା ସୌମେନ୍ଦ୍ରଙ୍କ ଆଖିରୁ। କୋହ ସବୁ କଣ୍ଠରୋଧ କରୁଥିଲେ। ଇଚ୍ଛା ହେଉଥିଲା କୁଣ୍ଢେଇ ଧରି କୁହନ୍ତେ , ସୌମ୍ୟା ଯାଅନାହିଁ.। ମୁଁ ତୁମ ବିନା ବଞ୍ଚିପାରିବିନି। ତୁମ ବିନା ଜୀବନର ମାନେ କିଛି ନୁହେଁ।

ମନର ଆଢୁଆଳରେ ଲୁଚି ରହିଥିବା ଅନେକ କୋହ ଆଖିର ଲୁହ ହୋଇ ବହି ଯାଉଛି । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଧୈର୍ୟ୍ଯ ଧରାଇବା ଛଡା ଆଉ ଅନ୍ୟ ଉପାୟ ନାହିଁ। କେହିଜଣେ ସାଇତି ରଖେ ସେ ସବୁ ରୂପା ଫରୁଆ ରେ ସ୍ମୃତି କରି। ସ୍ମୃତି ସବୁ ମୋତି ହେଲାପରେ , ପୃଷ୍ଠାଟିଏ ଯୋଡି ହୁଏ ଅଭୁଲା ସ୍ମୃତିରେ।  ଥକି ପଡିଥିବା କଲମଟି ମୁଁହଗୁଞ୍ଜି ଦିଏ ଡାଏରି ଭିତରେ। ଚଷମା କାଚରେ ଲାଗିଥିବା ପାଣିକୁ ପୋଛି ସାଇତା ହୁଏ ସାର୍ଟ ପକେଟରେ। ବସ୍ ଟି ସୌମେନ୍ଦ୍ର ଙ୍କୁ ନେଇ ଚାଲିଯାଏ ଦୂରକୁ, ବହୁ ଦୂରକୁ।
ଅଭୂଲା ମୁହୂର୍ତ୍ତର ପୃଷ୍ଠା ଗୁଡିକୁ ଓଲଟାଇ ସ୍ମୃତିର ପାଦ ଦେଶରେ ହସର ଗୁଞରଣରେ ଆମୋଦିତ ଜାହ୍ନବୀ ।  ଉଦୀୟମାନ ସୂର୍ଯ୍ୟଙ୍କର ନବୀନ ପ୍ରଭାତରେ ଉଦ୍ଭାସିତ ହୋଇ ହଜିଯାଏ ଜାହ୍ନବୀ । ଦୂର ଦିଗବଳୟରେ ତାର ମନର ମଣିଷ ସାଥେ ଭିନ୍ନ ଏକ ରାଜ୍ୟରେ ଦୂର ପାହାଡର ଫୁଲ ଟିଏ ପରି....

0 Response to "ମନ ସିନ୍ଦୁକରେ ସ୍ମ୍ରୁତି ଫରୁଆ - ଓଡିଆ ଗଳ୍ପ"

Post a Comment

Ads